“Amabasya ra Kala Rati” Odia Story by Biswajit Sahoo

“Amabasya ra Kala Rati” Odia Story by Biswajit Sahoo

Read this beautiful Odia Story “Amabasya ra Kala Rati (ଅମାବାସ୍ୟାର କାଳ ରାତି)” written and submitted by Mr Biswajit Sahoo. Read this beautiful Odia Story Amabasya ra Kala Rati and enjoy Odia Story.

« ଅମାବାସ୍ୟାର କାଳ ରାତି »

ସେଦିନ ଅମାବାସ୍ୟାର ଘନ ଅନ୍ଧାର ରାତିରେ ଶ୍ୟାମ ବାବୁଙ୍କର ମାର୍କେଟରେ କାମ ସରିବାରେ ଟିକେ ବିଳମ୍ବ ହୋଇଯାଇଥାଏ l ଶ୍ୟାମବାବୁ ତରବରିଆ ହୋଇ କିଛି ପରିବା କିଣି ବ୍ୟାଗଟିକୁ ନିଜର ସାଇକେଲରେ ଝୁଲାଇ ଦେଇ ନିଜ ଘର ଅଭିମୁଖେ ବାହାରି ପଡିଲେ l ସବୁଦିନ ପରି ଶ୍ୟାମବାବୁଙ୍କର ହସ ହସ ଚେହେରାଟି ଆଜି କଣ ପାଇଁ ମଳିନ ପଡିଯାଇଥିଲା ସତେକି ଯେପରି ଆକାଶର ଜହ୍ନ ଉପରେ କଳା ବାଦଲର ଆସ୍ତରଣ ପଡିଯାଇଛି l ଶ୍ୟାମବାବୁ ଏକ ଦୀର୍ଘ ନିଶ୍ୱାସ ମାରି ସାଇକେଲର ପେଡାଲ ମାରିଲେ ଆଉ ଟିକେ ଉପରକୁ ଚାହିଁଲେ l ଉପରକୁ ଅନାଇ କଣ ଭାବିଲେ କେଜାଣି ସାଇକେଲର ବେଗ ବଢ଼ାଇ ଏକ ଉଚ୍ଚସ୍ଵର ରେ “ସ୍ୱପ୍ନା” ବୋଲି ଚିତ୍କାର କରିଉଠିଲେ l ସ୍ୱପ୍ନା ଥିଲା ଶ୍ୟାମବାବୁଙ୍କ ଝିଅ ର ନାମ l ସ୍ୱପ୍ନାକୁ କୋଡିଏ ଛୁଇଁଲାଣି l ଶ୍ୟାମବାବୁ ବି ସ୍ୱପ୍ନାର ବାହାଘର ପାଇଁ ବରପାତ୍ର ଦେଖିବା ଆରମ୍ଭ କରିଦେଇଥିଲେ l ହେଲେ ସ୍ୱପ୍ନା ବାପାଙ୍କର ଏହି କଥାକୁ ପସନ୍ଦ କରୁନଥିଲା l ସେ ଚାଁହୁଥିଲା ନିଜ ଇଚ୍ଛାରେ ପ୍ରେମ କରି ବାହାହେବାକୁ ସେଥିପାଇଁ ସେ ପାଖ ଗାଁ’ର ଏକ ପିଲାକୁ ପ୍ରେମ କରୁଥିଲା l ଦୁହେଁ ମିଶି ଘରୁ ଲୁଚିକରି ଯାଇ ବାହାହେବାକୁ ସ୍ଥିର ମଧ୍ୟ କରିସାରିଥିଲେ l ସେଦିନ ସ୍ୱପ୍ନା ଫୋନରେ କଥା ହେଲାବେଳେ ଅମାବାସ୍ୟା ରାତିରେ ଘରୁ ଲୁଚି ପଳେଇବାକୁ କହୁଥିବାର ଶ୍ୟାମବାବୁ ଶୁଣିଦେଇଥିଲେ l ହେଲେ କଥାଟିକୁ ସମ୍ପୂର୍ଣ ବୁଝିପାରିନଥିଲେ ଶ୍ୟାମବାବୁ l ସେଦିନ ରାତିରେ ଯେତେବେଳେ ଆକାଶକୁ ଚାହିଁଛନ୍ତି ଶ୍ୟାମବାବୁ ଆଉ ଦେଖିଛନ୍ତି ଆକାଶରେ ଜହ୍ନ ନାହଁ, ଆଉ ଜାଣିପାରିଲେ ଆଜି ଅମାବାସ୍ୟା ବୋଲି ହଠାତ ଶ୍ୟାମବାବୁଙ୍କର ମନେପଡିଗଲା ଝିଅ ସ୍ୱପ୍ନା ର ସେ ଫୋନରେ କହୁଥିବା କଥା l ଶ୍ୟାମବାବୁ ନିଜକୁ ଆଉ ସମ୍ଭାଳି ପାରିଲେନି lଗାଁ ମୁଣ୍ଡରୁ ସ୍ୱପ୍ନା ସ୍ୱପ୍ନା ବୋଲି ଚିତ୍କାର କରି ଆସୁଥାନ୍ତି ଶ୍ୟାମ ବାବୁ l ଘର ପାଖରେ ପହଞ୍ଚି ଦେଖନ୍ତି ତ ଘର ଭିତରୁ କବାଟ ବନ୍ଦ ଅଛି l ଶ୍ୟାମବାବୁ କବାଟ ବନ୍ଦ ଥିବା ଦେଖି ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ ଭାବିଲେ କି ସ୍ୱପ୍ନା ନିଶ୍ଚୟ ଘରେ ଅଛି l ଶ୍ୟାମ ବାବୁ ସ୍ୱପ୍ନାକୁ ଡ଼ାକୁଥାନ୍ତି କବାଟ ଖୋଲିବାକୁ ହେଲେ ଭିତରୁ କିଛି ଉତ୍ତର ଆସୁନଥାଏ l ଶ୍ୟାମବାବୁ ବ୍ୟସ୍ତ ବିବ୍ରତ ହୋଇ ପାଖରେ ପଡ଼ିଥିବା ଲୁହା ବାଡ଼ି ଗୋଟେ ଆଣି କବାଟ ଭାଙ୍ଗି ଦେଖିଲେ ତ ସ୍ୱପ୍ନା ଆତ୍ମହତ୍ୟା କରିଦେଇଛି ଦଉଡି ଦେଇକି l ଶ୍ୟାମବାବୁଙ୍କର ଚାରିପାଖ ଯେପରି ଅନ୍ଧାର ହେଇଗଲା ନିଜକୁ ଆୟତ୍ତରେ ରଖିପାରୁନଥାନ୍ତି ଶ୍ୟାମବାବୁ l ହଠାତ ଶ୍ୟାମବାବୁଙ୍କର ନଜର ପଡିଗଲା ସ୍ୱପ୍ନାର ପାଦ ଉପରେ l ସ୍ୱପ୍ନାର ପାଦଦେଇ ବହିଯାଉଥାଏ ରକ୍ତର ସୁଅ l ଶ୍ୟାମବାବୁ କିଛି ବୁଝିବା ପୂର୍ବରୁ ଆଖିପଡିଗଲା ଟେବୁଲ ଉପରେ ଥିବା ସ୍ୱପ୍ନାର ରକ୍ତ ଭିଜା ଚିଠି ଉପରେ l ଲେଖା ହୋଇଥାଏ ସେଥିରେ “ବାପା ! ମୁଁ କିଛି ଭୁଲ କରିନି, ତାକୁ ମୁଁ ଭଲପାଉଥିଲି, ହେଲେ ସେ ତା ସାଙ୍ଗ ମାନଙ୍କ ପାଖରେ ମୋତେ ବିକିଦେଲା, ମୁଁ କଷ୍ଟ ସହିନପାରି ଆତ୍ମହତ୍ୟା କରିଦେଲି ବାପା ” l ଏତିକି ପଢୁ ପଢୁ ସତେ ଯେପରି ଶ୍ୟାମବାବୁଙ୍କ ପାଦତଳୁ ମାଟି ଖସିଗଲା l ସତେ ଯେପରି ଅମାବାସ୍ୟାର କଳା ଆକାଶଟା ଶ୍ୟାମବାବୁଙ୍କ ଉପରେ ଫାଟିପଡିଲା l ଝିଅ ମୁଁହକୁ ଚାହିଁ ହଠାତ ଟଳି ପଡିଲେ ଶ୍ୟାମବାବୁ l ସେଦିନର ସେ କାଳ ଅମାବାସ୍ୟାର କାଳ ରାତି ସିନା ଦୁଇଟି ଜୀବନ ନେଇଗଲା ହେଲେ ଆଜି ସମାଜର ପ୍ରତିଟି ମୁହୂର୍ତ୍ତ ସାଜିଛି କାଳ ଅମାବାସ୍ୟାର କାଳ ରାତି, ପ୍ରତି ମୁହୂର୍ତ୍ତରେ ଯାଉଛି କେତେଯେ ସ୍ୱପ୍ନା ପରି ଝିଅଙ୍କର ଜୀବନ l ସମୟ ଏବେ ଚୁପ ବସିବାର ନୁହେଁ ସ୍ୱପ୍ନା ପରି ଝିଅମାନଙ୍କୁ ସେ ଅମାବାସ୍ୟା ର ରାକ୍ଷସମାନଙ୍କଠୁ ବଞ୍ଚେଇବାର l ନାରୀକୁ ସମାଜ ଆଗରେ ମୁଣ୍ଡ ଟେକି ଠିଆ ହେବାକୁ ସାହାଯ୍ୟ କରିବାର l

ଲେଖକ
ବିଶ୍ୱଜିତ ସାହୁ

This Odia Story is Submitted by Mr Biswajit Sahoo

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.