“Maa Basichi Pua Apekhyare” Odia Story by Biswajit Sahoo

“Maa Basichi Pua Apekhyare” Odia Story by Biswajit Sahoo

Read this heart Touching Odia Story “Maa Basichi Pua Apekhyare (ମା ବସିଛି ପୁଅ ଅପେକ୍ଷାରେ)” written and submitted by Mr Biswajit Sahoo. Read this beautiful Odia Story ମା ବସିଛି ପୁଅ ଅପେକ୍ଷାରେ and enjoy Odia Story.

« ମା ବସିଛି ପୁଅ ଅପେକ୍ଷାରେ »

ଚାଁହୁ ଚାଁହୁ ଦୀର୍ଘ ସାତ ବର୍ଷ ବିତିଗଲାଣି, ପୁଅର ଫେରିବା ବାଟକୁ ଅନେଇ ମା ଆଖିରୁ ପାଣି ଶୁଖିଗଲାଣି l ଏଇ ବର୍ଷ ପୁଅ ଆସିବ ବୋଲି ମାକୁ କଥା ଦେଇଥିଲା l ହେଲେ କୋଉଠି ଥିଲା କେଜାଣି ଏ  କରୋନା ରୋଗ ରାକ୍ଷାସ ପରି ମାଡି ଆସିଲା l ଜୀବନର ସବୁ ଗତିପଥକୁ ନଦୀର ମୋଡ ପରି ବଙ୍କେଇ ଦେଲା l ଆଜି ପୁଅର ବାଟ ଚାହିଁ ବସିଥିବା ମା ଏ ରୋଗ ବିଷୟରେ ଜାଣୁ ଜାଣୁ ଭୋ ଭୋ ହୋଇ କାନ୍ଦି ଉଠିଲା l କିଏ ବା ବୁଝିବ ସେ ମା’ର କୋହ,ଯିଏ ବରଷ ବରଷ ଧରି ଅନେଇ ବସିଛି ପୁଅର ଫେରିବା ବାଟକୁ l ଦିନ ପରେ ଦିନ ବିତି ଚାଲୁଥିଲା ସକାଳୁ ସଞ୍ଜ ଯାଏ ଦାଣ୍ଡରେ ଆସି ବସିଥାଏ ମା କାଳେ ତା ଗଳାର ମାଳି, ନିଧନ ସଙ୍ଖାଳି ଆସିବ ଆଉ ତାକୁ ଟିକେ ଛାତିରେ ଜାବୁଡି ଧରି ଗେଲ କରିବ l ହେଲେ ତାର ଆଶା ଆଶାରେ ରହିଯାଉଥିଲା l ଲୋକଙ୍କ ଠୁ ଏ ରୋଗ ବିଷୟରେ ଶୁଣି ଶୁଣି ନିଜକୁ ସମ୍ଭାଳି ପାରୁନଥାଏ ସେ l ଏଇ ଭିତରେ ଗାଁ ଭିତରୁ ଜଣେ ଲୋକ ତାକୁ ଡାକ ପକାଇଲା l ବୁଢ଼ୀ ମା’ଟି ପୁଅ ଆସିଲା ବୋଲି ଭାବିକି ଦୌଡ଼ି ଦୌଡ଼ି ତା ପାଖକୁ ଗଲା ଆଉ ପଚାରିଲା, କଣ ପୁଅ ମୋ ଧନ ଆସିଲାଣି କି l ହେଲେ ସେ ଲୋକଟି ମନା କରିବାରୁ ବୁଢ଼ୀ ମା’ର ମନଟା ମାଟି ହାଣ୍ଡି ପରି ଭାଙ୍ଗିଗଲା l ହେଲେ ସେ ଲୋକଟି କହିଲା କି ତୋ ପୁଅ ଆସିନି ତାର ଫୋନ ଆସିଛି ନିଅ  କଥା ହୁଅ l ବୁଢ଼ୀ ନିଜ କାନିରେ ହାତ ପୋଛିକି ଫୋନଟି ହାତରେ ଧରିକି କାନ ପାଖରେ ଦେଇକି ଧନ ବୋଲି କହିଛି କି ନାଇ ଫୋନଟା ସେପଟୁ କଟିଗଲା l ବୁଢ଼ୀ ଧନ ଧନ ବୋଲି କହୁଥାଏ କିନ୍ତୁ ସେପଟୁ କିଛି ଶବ୍ଦ ଶୁଭୁନଥାଏ l ଲୋକଟି କହିଲା ମାଉସୀ ଫୋନ କଟିଗଲା ବୋଧେ ରୁହ ଆଉ ଥରେ ମୁଁ ଲଗଉଛି, ହେଲେ ଯେତେଥର ଲଗେଇଲେ ମଧ୍ୟ ଫୋନ ଲାଗିଲାନି l ବୁଢ଼ୀ ଆଖିରେ ଲୁହ ଜକେଇ ଆସିଲା, କୋହରେ ତା ଛାତି ଥରି ଉଠିଲା l ଅଜଣା ଭୟରେ ତା ହାତ ଗୋଡ ଥଣ୍ଡା ପଡିଗଲା l ବୁଢ଼ୀ ଭାବୁଥାଏ ମୋ ପୁଅର କିଛି ହେଇନି ତ, ସେ କହିଥିଲା ଆସିବ ବୋଲି ହେଲେ ଏଇ ପୋଡ଼ାମୁହାଁ ରୋଗ ପାଇଁ ସେ ଆସିପାରିଲାନି l ତାପାଇଁ ମୁଁ ଆମ ବାଡ଼ି ଆମ୍ବ ରଖିଛି ସେ ଆସିଲେ ଖାଇବ l ହେଲେ ଏମିତି ହଠାତ ଫୋନ କଟିଗଲା କଣ ପାଇଁ l ଏମିତି କେତେ କଣ କଥା ବୁଢ଼ୀ ମୁଣ୍ଡରେ ଆସୁଥାଏ l ଏମିତି ଭାବୁ ଭାବୁ ବୁଢ଼ୀ ଚେତା ଶୂନ୍ୟ ହେଇଗଲା l ଗାଁ ଲୋକ ଆସି ତାକୁ ଡାକ୍ତରଖାନା ନେଇଗଲେ l ବୁଢ଼ୀକୁ ଚେତା ଆସୁ ଆସୁ ମୋ ପୁଅକୁ ଡାକ ବୋଲି କହିଲା, ହେଲେ ଏମିତି କିଛି କହୁ କହୁ ଫୁଣି ଚେତା ଚାଲିଗଲା l ବୁଢ଼ୀ ର ଡାକ୍ତରୀ ପରୀକ୍ଷା ସରିଲାପରେ ଜଣାପଡିଲା ଯେ ବୁଢୀକୁ କ୍ୟାନ୍ସର ହେଇଛି l ସେ ଆଉ ଅଳ୍ପ ଦିନ ବଞ୍ଚିବ l ବୁଢୀକୁ କିଛି ଔଷଧ ଦେଇ ଡାକ୍ତର ଘରକୁ ପଠେଇଦେଲେ l ବୁଢ଼ୀ ଘରେ ପହଞ୍ଚିଛି କି ନାଇ ସାଙ୍ଗେ ସାଙ୍ଗେ ହାଣ୍ଡିଶାଳେ ରଖିଥିବା ଦହିକୁ ଯାଇ ଦେଖିଲା l ଦହିରେ ପୋକ ସାଲୁବାଲୁ ହଉଥାନ୍ତି l ବୁଢ଼ୀ ବହୁତ ଶରଧାରେ ଦହି ରଖିଥିଲା ତା ପୁଅ ଆସିଲେ ଖାଇବ ବୋଲି l ହେଲେ ପୋକ ହେଇଯାଇଥିବା ଦେଖିକି ବୁଢ଼ୀ ମନେ ମନେ ବହୁତ ଗାଳି କଲା ସେ ପୋକଙ୍କୁ l ଆଉ ସେ ଦହି ହାଣ୍ଡିକୁ ନେଇ ପୋଖରୀରେ ଫୋପାଡ଼ି ଦେଲା l ରାତିପାହି ସକାଳ ହେଲା ବୁଢ଼ୀ ଦୁର୍ବଳରୁ ଚାଲିପାରୁନଥାଏ, ବହୁତ କଷ୍ଟରେ ଉଠି ପଡିଶାରେ ଥିବା ଘରକୁ ଡାକ ପକେଇଲା l ଏ ଝିଅ! ଟିକେ ଦହି ଦେବୁ ମୋ ପୁଅ ଆସିଲେ ଖାଇବ l ପଡିଶା ଘର ବହୁତ ରାଗିଗଲେ କାହିଁକିନା ବୁଢ଼ୀ ସବୁଦିନ ଏମିତି ଦହି ମାଗେ ଆଉ ତା ପୁଅ ଆସେନି, ଆଉ ସେ ଦହିକୁ ନେଇ ଫିଙ୍ଗି ଦେଇଆସେ l ବୁଢ଼ୀ ମନ ଉଣା କରିକି ଆସିଲା ଘରକୁ l ଆସିକି ଦାଣ୍ଡ ଦୁଆରରେ ବସିଲା l ମନେ ମନେ କେତେ ଦିଅଁ ଦେବତାଙ୍କୁ ମାନସିକ ରଖିଥାଏ ଆଉ ବେଳେବେଳେ ତାଙ୍କ ଉପରେ ଅଭିମାନ ବି କରୁଥାଏ l ପୁଅ ବି ସେପଟେ ଘରକୁ ଆସିବ ବୋଲି ବ୍ୟସ୍ତ ହୋଉଥାଏ l ମାଆର ହାତ ରନ୍ଧା ଟିକେ ଖାଇବ ବୋଲି ତା ମନ ବ୍ୟାକୁଳ ହଉଥାଏ l ମା କଥା ଭାବୁ ଭାବୁ ତାର ମନେ ପଡିଗଲା ଛୋଟ ବେଳର କଥା l ବାପା ଚାଲିଗଲା ପରେ ତା ମା କେତେ କଷ୍ଟ ନସହିଛି, କେତେ ଖୁଣ୍ଟା ଶୁଣିଛି ଗାଁ ଲୋକଙ୍କଠୁ l ତାକୁ ପାଠ ପଢେଇବ ବୋଲି ଯାଇକି ଘର ଘର ବୁଲି ବାସନ ବି ମାଜିଛି l ନିଜେ ରାତିରେ ଉପାସ ରହି ମୋତେ ଖୁଏଇଛି l ମୋ ପାଇଁ ସେ ଖଣ୍ଡେ ଭଲ ଶାଢ଼ୀ ବି ପିନ୍ଧିପାରିନି l ହେଲେ ମୁଁ ପାଠ ପଢିକି ଚାକିରୀ ପାଇଲି ବୋଲି ଆଜି ତାକୁ ଟିକେ ଜଣେଇବି ପାରୁନି l ଏଇ ଲକଡାଉନ ମୋ ମା ମୁଁହର ହସକୁ ଦେଖେଇଦେଲାନି ମୋତେ l  ଆଜି ମୁଁ ଘରକୁ ଯାଇଥିଲେ ମୋ ମା କେତେ ଖୁସି ହେଇଥାନ୍ତା l ତା ଦେହରେ ମୁଁ ନୂଆ ଶାଢ଼ୀଟାକୁ ପକେଇଦେଇ ତା କୋଳରେ ଟିକେ ଶାନ୍ତିରେ ଶୋଇକି ମନ ଭରି କାନ୍ଦିଥାନ୍ତି l ଆଉ ମୋ ମା ମୋତେ ଉଠେଇ ତା ପଣତ କାନିରେ ମୋ ଲୁହ ପୋଛି ଦେଇଥାନ୍ତା l ଏତିକି ଭାବୁ ଭାବୁ ନିଦ ଲାଗିଯାଇଛି ପୁଅକୁ l ସ୍ୱପ୍ନରେ ଦେଖୁଛି ସେ ଗାଁକୁ ଯାଇଛି ଆଉ ତା ମା ତାକୁ ଦେଖିକି ଭୋ ଭୋ ହେଇ କାନ୍ଦିକି ତାକୁ ଜାବୁଡି ଧରିଛି l ଆଉ ସେ ଦହିକୁ ଭଲପାଏ ବୋଲି ଗୋଟେ ମାଟି ହାଣ୍ଡିରେ ବହୁତ ସାରା ଦହି ରଖିଛି l ଆଉ ମା ତାକୁ ହାତରେ ଦହି ଖୁଆଇଦଉଛି l ଆଉ ସେ ନେଇଥିବା ନୂଆ ଶାଢ଼ିଟିକୁ ଦେଖି ମା ଖୁସିରେ ଆତ୍ମହରା ହୋଇପଡିଲା l ଆଉ ଶାଢ଼ିଟିକୁ ଛାତିରେ ଜାବୁଡି ଧରିଲା l ବେଶ ଖୁସିରେ ମା ଶାଢ଼ିଟିକୁ ପିନ୍ଧିଲା l ଏତେ ବର୍ଷ ଧରି ନୂଆ ଶାଢ଼ିଟିଏ ପିନ୍ଧି ନଥିଲା ମା l ନୂଆ ଶାଢ଼ୀଟାକୁ ପିନ୍ଧି ମା ଠିକସେ ଚାଲିପାରୁନଥାଏ l ତଥାପି ମୋ ମନ ରଖିବା ପାଇଁ ପିନ୍ଧିଦେଲା l କେଜାଣି ମନେ ମନେ କଣ ଭାବି ମୁରୁକି ମୁରୁକି ହସୁଥାଏ ସେ l ଆଉ ମୋ ମୁଁହକୁ ଚାହିଁରହିଥାଏ l ଆଉ ମୋତେ କହିଲା, ବାବାରେ! ତୋ ବାପା ଗଲା ଦିନଠୁ ଭଲ ଶାଢ଼ୀ ଖଣ୍ଡେ ପିନ୍ଧିନଥିଲି, ଆଜି ପିନ୍ଧିଲି, ଲୋକଙ୍କ ପାଲଟା ଶାଢ଼ୀ ପିନ୍ଧି ପିନ୍ଧି ଦିନ ଯାଉଥିଲା l ଆଜି ଯାହା ହଉ ଭଗବାନ ମୋ ଡାକ ଶୁଣିଛନ୍ତି ଆଉ ତୋତେ ବଡ ମଣିଷ କରିଛନ୍ତି l ମୋର ଆଉ ଦୁଃଖ ରହିବନି l ଏବେ ଖାଲି ଗୋଟେ ଚିନ୍ତା ମୋର ତୋତେ ହାତକୁ ଦିହାତ କରିଦେଲେ ମୋର କାମ ସରିଲା l ମା ମନରେ ଏତେ ଖୁସି ମୁଁ ପ୍ରଥମ ଥର ପାଇଁ ଦେଖିଲି l ଏତିକି କହୁ କହୁ ମୋବାଇଲ ଆଲାର୍ମ ଟା ବାଜି ଉଠିଲା, ନିଦ ଭାଙ୍ଗିଗଲା ମୁଁ ବିଶ୍ୱାସ କରିପାରିଲିନି କି ଇଏ ସବୁ ମୁଁ ସ୍ବପ୍ନ ଦେଖୁଥିଲି ବୋଲି l ଆଜି ମାକୁ ଦେଖିବାକୁ ବହୁତ ଇଚ୍ଛା ହଉଥିଲା ହେଲେ ଏଇ ଲାକଡାଉନ ଭିତରେ ଜୀବନ ବାଟ ପୁରା ଓଲଟ ପାଲଟ ହେଇଯାଇଥିଲା l ନା ଅଛି ଗାଡି ମଟରର ଚଳାଚଳ ନା ଅଛି ରେଳ l ଘରୁ ବି ବାହାରି ହଉନଥାଏ l ଟିଭି ଖୋଲିଲେ ସେଇ କରୋନା ର ତାଣ୍ଡବ ଲୀଳାର ଖବର l ମୁଁ ସିନା ଏଠି ବଡଘରେ ଖୁସିରେ ଅଛି ହେଲେ ମୋ ମା ସେଠି ଭଙ୍ଗା ଘରେ କେମିତି ଥିବ l ଖରା,ବର୍ଷା, ଶୀତ କାକର ସହି କଣ କରୁଥିବ ସେ l ଦୀର୍ଘ ସାତ ବର୍ଷ ହେଲା ତାକୁ ଦେଖିନି l ଏବେ ଯିବାକୁ ବାହାରିଥିଲି ହେଲେ କରୋନା ମୋ ଗୋଡ ବାନ୍ଧିଦେଇଛି l ନିଜ ଲୋକଙ୍କୁ ବି ଟିକେ ଛୁଇଁ ହଉନି l ଜୀବନର ଖେଳରେ ଏମିତି ପରିସ୍ଥିତି ଆସିବ ବୋଲି କେବେ ଭାବିନଥିଲି l ମୋ ମା ମୋତେ ବହୁତ ଖୋଜୁଥିବ, ହେଲେ କଣ କରିବି ମୁଁ କେମିତି ଯିବି l ଫୋନ କରିଥିଲି ଯେ କଟିଗଲା ଫୋନ ଥରେ ମୋ ମା’ର କଣ୍ଠସ୍ୱର ବି ଶୁଣିପାରିଲିନି l ଏଇ ବୁଢ଼ୀ ବୟସରେ ମୁଁ ତା ପାଖରେ ନାହିଁ l ଧିକ ମୋ ପୁଅ ପଣିଆକୁ l ଆଜି ତା ପାଖରେ ମୁଁ ଥିଲେ ସେ ବହୁତ ଖୁସି ହେଇଥାନ୍ତା l ଭାବୁଛି ମା’କୁ  ମୋ ପାଖକୁ ନେଇଆସିବି ଘରକୁ ଗଲେ ହେଲେ ସେ କଣ ଶୁଣିବ, ମୋତେ ଆହୁରି ବୁଝେଇବ ନିଜ ଘର କଣ କେହି ଖାଲି କରନ୍ତି, ଏଠି ପରା ତୋ ବାପାଙ୍କ ସ୍ମୃତି ଅଛି, ତାଙ୍କୁ ଛାଡି କଣ ମୁଁ ଯାଇପାରିବି? ସତରେ ! କେଡେ ଅଜବ କଥା ନା ଏବେ ଦୁନିଆରେ କେତେ କଣ ହେଇଯାଉଛି ହେଲେ ମୋ ମାକୁ ଦେଖନ୍ତୁ ନିଜ ସ୍ୱାମୀଙ୍କ ମୃତ୍ୟୁର ଏତେ ଦିନପରେ ବି ତାଙ୍କ ସ୍ମୃତିକୁ ଛାଡି ଯିବାକୁ ସେ ନାରାଜ, ସତରେ ଅଜବ ଏ ଦୁନିଆ l ଏତିକି  ଭାବୁ ଭାବୁ ହଠାତ ଗାଁର ରାଜୁ ଦାଦାଙ୍କ ଘରୁ ଫୋନ ଆସିଲା ଆଉ ମୁଁ ହାଲୋ କହିଛି ଆଉ ସେ………

କ୍ରମଶଃ (ଭାଗ -୨)  – Part 2 Comming Soon….

ଲେଖକ
ବିଶ୍ୱଜିତ ସାହୁ

This Odia Story is Submitted by Mr Biswajit Sahoo

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.